।।। ରାଇ ଦାମଦୋର।।।
ରାଇ-ଦାମଦୋର ବେଶଯେ ସୁନ୍ଦର
ଦେଖି ଅରଜନ୍ତି ପୂଣ୍ୟ,
ପବିତ୍ର କାର୍ତ୍ତିକେ ଦେଖିଲେ ଏବେଶ
ଚର୍ମ ନେତ୍ର ହୁଏ ଧନ୍ୟ। (୧)।।
କାର୍ତ୍ତିକ ମାସଟି ସାରମାସ ଅଟେ
ଦାମଦୋର ନାମେ ଖ୍ୟାତ,
ପରମ-କରୁଣା କରିଯେ ଗୋବିନ୍ଦ
ଭକ୍ତେ କରିଦେଲେ ତୁଷ୍ଟ। (୨)।।
ରାଇ ନାମ୍ନୀ ଏକ ଝିଅଟିଏ ଥିଲା
ହରି ପୂଜି ଭକତିରେ,
ତା' ସେବାରେ ଦିନେ ସନ୍ତୁଷ୍ଟ ହୋଇଣ
ଯାଚିଦେଲେ ବର ଖରେ।(୩)।।
ରାଇ ମାଗିଦେଲା ଏପରି ବରଯେ
ଚକିତ ହୋଇଲେ ପ୍ରଭୁ,
ତଥାପି ନିରାଶ ନକରି ଭକ୍ତକୁ
ବିବାହ କରିଲେ ତାକୁ। (୪) ।।
ସୁମରି ତାକଥା ପୂଜନ୍ତି ରାଇକୁ
ଦାମଦୋର ସାଥେ ଭକ୍ତ,
ଶୁକ୍ଳ ଦଶମୀରେ ସାରି ଦେଇ ଲୀଳା
ଯାଆନ୍ତି ଲକ୍ଷ୍ମୀଙ୍କ ପାଶ। (୫)।।
ଧନ୍ୟଲୀଳା ତାଙ୍କ ଭକତରପାଇଁ
କାର୍ତ୍ତିକେ ଦେଖାଇଛନ୍ତି,
ଶୁଦ୍ଧ-ପୂତ ଚିତ୍ତେ ପୂଜନ୍ତି ଭକ୍ତିରେ
ପ୍ରଭୁଙ୍କୁ ପ୍ରାପ୍ତ ହୁଅନ୍ତି।(୬)।।
***
।।। ଚିତ୍ରା ରାଣୀ ପାତ୍ର।।।
।।ବାଲେଶ୍ୱର।।




0 Comments