ତୋହ ପରି କିଏ ହେବରେ କାଳିଆ(ଚିତ୍ରା ରାଣୀ ପାତ୍ର)

 

             


   ।। ତୋହ ପରି କିଏ ହେବରେ କାଳିଆ।।


ତୋହ ପରି କିଏ ହେବରେ କାଳିଆ

ବୁଝେ ଯିଏ ମନ କଥା,

ଯେତେ ବିପଦରେ ପଡିଥାଏ ପଛେ

ହରି ନେଉ ମୋର ବ୍ୟଥା।।୧।।


ତୋ'ଚକା ଆଖିରେ କି ଯାଦୁ ଭରିଛି

ଦେଖିଲେ ଆଖି ଫେରେନି,

ତୋ'ରଙ୍ଗ ଅଧର ହସକୁ ଦେଖିଲେ

ମନ ମୋର ନେଉ କିଣି।।୨।।


ଦେହଟି ସିନାତ କାଳିଆ ରଙ୍ଗରେ

ମନଟା ତ ସଫା ତୋରା,

କୋଟି ଗୋରା ମିଶି ସମାନ ନୋହିବେ

ନିଆରା ତୋ' ରଙ୍ଗ ପରା।।୩।।


ଭାବନାରେ ମୁଁଯେ ବାନ୍ଧି ହୋଇଯାଏ

ଦେଖିବା ଆଗରୁ ରୂପ,

ନିଜେ ବିଶ୍ଵକର୍ମା ନିଜକୁ ଗଢ଼ିଛୁ

ଭରିଦେଉ କେତେ ଛାପ ।।୪।।


ଯେମିତି ଭାବରେ ଦେଖିଲେ କାଳିଆ

ସେହି ରୂପେ ଉଭା ହେଉ,

 ଭକତର ମନ କଥା ବୁଝିପାରି

ଫଳ ତୁହି ଯାଚି ଦେଉ।।୫।।


ତୋହ ପରି ଦାନୀ ତୋହ ପରି ମାନୀ

ସଂସାର ଭିତରେ ନାହିଁ,

ଷୋଳ କଳାରେ ତୁ ବୋଲାଉଛୁ ସିନା

ଅଶେଷ କଳାରେ ତୁହି।।୬।।


କପଟ ପଣରେ କିଏ ନୁହେଁ ସରି

ଭକତେ ପରୀକ୍ଷା କରି,

ବର ଯାଚି ଦେଉ ସୁବର୍ଣ୍ଣ ଥାଳିରେ

ବନ୍ଧୁମହାନ୍ତିଙ୍କ ପରି।।୭।।


ଯେତେ ଗାଇଲେବି ସରିବନି ତୋର

ଅସଲ ଦାତା ପଣିଆ ,

ସବୁ ଗୁଣ ଠୁଳ ତୋହରି ପାଖରେ

ଜଗତ ହୁଏ ବାଇୟା।।୮।।

         ***

 ।। ଚିତ୍ରା ରାଣୀ ପାତ୍ର।।

     ।।ବାଲେଶ୍ଵର ।।

Post a Comment

0 Comments